ଶନିବାର ଦିନିକିଆ ଅନୁଗୁଳ ଗସ୍ତରେ ଆସି ଫାଇଲେରିଆ ଔଷଧ ନିରାକରଣ ଅଭିଯାନ ର ଶୁଭାରମ୍ଭ କରିଥିଲେ ରାଜ୍ୟ ସରକାରଙ୍କର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ପ୍ରଯୁକ୍ତି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପରିଦର୍ଶନ କରି ମହିଳା ପ୍ରସୂତି ୱାର୍ଡର ରୋଗୀଙ୍କ ସହ ସିଧା ସଳଖ ଆଲୋଚନା କରିବା ସହ ମେଡିକାଲ ରେ କିପରି ସ୍ୱାସ୍ଥ୍ୟ ସେବା ଚାଲିଛି ଏବଂ ବ୍ୟବସ୍ଥା ଠିକ ଢଙ୍ଗରେ ଚାଲିଛିକି ନାହିଁ ସେନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଲୋଚନା କରିଥିଲେ। ମାନ୍ୟବର ମନ୍ତ୍ରୀ ପ୍ରଥମେ ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଠାରେ ରାଜ୍ୟ ସ୍ତରୀୟ ଫାଇଲେରିଆ ( ବାତ ଜ୍ୱର ) ନିରାକରଣ ଅଭିଯାନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜେ ଫାଇଲେରିଆ ଔଷଧ ସେବନ କରିବା ସହ ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ସର୍ବ ପ୍ରଥମେ ମୁଖ୍ୟ ଅତିଥି ସର୍ବ ଭାରତୀୟ ସ୍ତରରେ ଆୟୋଜିତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ଆଭାସି ମାଧ୍ୟମରେ ଯୋଗଦେଇ ଓଡ଼ିଶାର ପ୍ରସ୍ତୁତିକୁ ନେଇ ତଥ୍ୟ ଉପସ୍ଥାପନା କରିଥିଲେ। ପରେ ରାଜ୍ୟ ସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଶିବାନନ୍ଦ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡାଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ହେଉଛି ଫାଇଲେରିଆ ମୁକ୍ତ ସୁସ୍ଥ ଓଡ଼ିଶାର ଗଠନ ବୋଲି କହିଥିଲେ। ଛାତ୍ରଛାତ୍ରୀ ରାଜ୍ୟର ଭବିଷ୍ୟତ ହୋଇଥିବାରୁ ଏବଂ ଏହି ଅଭିଯାନ ର ସଠିକ ବାର୍ତ୍ତା ସମସ୍ତଙ୍କ ନିକଟକୁ ପହଞ୍ଚାଇବା ନିମନ୍ତେ ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଆୟୋଜନ କରାଯାଇଥିବା ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ,ଜିଲ୍ଲାପାଳ ଅବଦ୍ଦାଲ ଏମ୍ ଅଖତର,ଛେଣ୍ଡିପଦା ବିଧାୟକଙ୍କ ପ୍ରତିନଧି ଚୌଧୁରୀ ପ୍ରଧାନ ଜନ ସ୍ୱାସ୍ଥ୍ୟ ଅଧିକାରୀ ନିର୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର, ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ନୀଳାଞ୍ଚଳ ପଟେଲ, ଛାତ୍ରଛାତ୍ରୀ, ସ୍ୱାସ୍ଥ୍ୟକର୍ମୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ବିୟୁରୋ ରିପୋର୍ଟ ଅନୁଗୁଳ ଏକ୍ସପ୍ରେସ